Latest Post

ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬



ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ସୁଗମ ପାଇଁ ଅନୁକୂଳ ପରିବେଶ ସୃଷ୍ଟି  ଲକ୍ଷ୍ୟରେ ବୋର୍ଡ ବୈଠକରେ  ଆଲୋଚନା

ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ଉପରେ ଗୁରୁତ୍ୱ 

ଓଏସପିସିବିର କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ନେଇ ବିସ୍ତୃତ ଆଲୋଚନା  

ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ ଆଜି (ଓଏସପିସିବି)  ପରିଦର୍ଶନ କରି ବୋର୍ଡର ବିଭିନ୍ନ କାର୍ଯ୍ୟକଳାପ, ନିୟାମକ ବ୍ୟବସ୍ଥା, ପରିବେଶ ନିରୀକ୍ଷଣ, ବର୍ଜ୍ୟ ପରିଚାଳନା, ମାନବ ସମ୍ବଳ, ବର୍ତ୍ତମାନର ଆହ୍ୱାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ।  ମୁଖ୍ୟ ଶାସନ ସଚିବ, ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି  ଲକ୍ଷ୍ୟରେ ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ଉପରେ ଗୁରୁତ୍ୱ  ଦେଇଥିଲେ । 

ଓଡ଼ିଶାରେ ଇସ୍ପାତ, ଆଲୁମିନିୟମ୍, ବିଦ୍ୟୁତ୍, ଖଣିଜ, ପେଟ୍ରୋକେମିକାଲ୍ ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଦ୍ରୁତ ବିକାଶ ଘଟୁଥିବା ବେଳେ ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ରକ୍ଷା କରିବା ଉପରେ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ । ଶିଳ୍ପକୁ କେବଳ ଅନୁମତି ପ୍ରଦାନ ଓ ନିୟମ ପାଳନର ଯାଞ୍ଚରେ ସୀମିତ ନ ରଖି ତଥ୍ୟଭିତ୍ତିକ, ପ୍ରଯୁକ୍ତିନିର୍ଭର ଓ ସ୍ୱଚ୍ଛ ପରିବେଶ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ବୋର୍ଡର ଭୂମିକା ଓ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା । ବୋର୍ଡର ଆଗାମୀ କାର୍ଯ୍ୟପନ୍ଥାରେ ନୀତିଗତ ସଂସ୍କାର, ପ୍ରତିଷ୍ଠାନଗତ କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପରୀକ୍ଷାଗାର ଓ ଗବେଷଣା ଭିତ୍ତିଭୂମିର ସୁଦୃଢ଼ୀକରଣ, ବର୍ଜ୍ୟର ପୁନଃବ୍ୟବହାର, ଜନସଚେତନତା ଓ ମାନବ ସମ୍ବଳ ବିକାଶକ ଆଦିକୁ ପ୍ରାଥମିକତା ଭିତ୍ତିରେ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଓଏସପିସିବିର କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ନେଇ ମୁଖ୍ୟ ସଚିବ ବୋର୍ଡ ସଦସ୍ୟ ସଦସ୍ୟାମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ।  

ଏହି ଅବସରରେ ବୋର୍ଡ ପକ୍ଷରୁ ବର୍ତ୍ତମାନର ନିୟାମକ ବ୍ୟବସ୍ଥା ଓ ଭବିଷ୍ୟତ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରୋଡମ୍ୟାପକୁ ଆଧାର କରି ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା । 

ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠାକୁ ସୁଗମ କରିବା ଲକ୍ଷ୍ୟରେ ଅନୁକୂଳ ପରିବେଶ ସୃଷ୍ଟି (ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍)  କରିବା ଦିଗରେ ପରିବେଶ ସମ୍ବନ୍ଧୀୟ ଅନୁମୋଦନ ଓ ଅନୁପାଳନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ପୂର୍ବାନୁମାନଯୋଗ୍ୟ, ସମୟବଦ୍ଧ ଓ ପ୍ରଯୁକ୍ତିଭିତ୍ତିକ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ଏହା ଶିଳ୍ପଗୁଡ଼ିକୁ ଆବଶ୍ୟକ ପରିବେଶ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ସହିତ ରାଜ୍ୟରେ ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବ । 

ମୁଖ୍ୟ ଶାସନ ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ପକ୍ଷରୁ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା ସମସ୍ତ ପଦକ୍ଷେପ  ‘ବିକଶିତ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ର ବ୍ୟାପକ ଦୃଷ୍ଟିକୋଣ ସହ ସଂଯୋଜିତ ହେବା ସଂପର୍କରେ  ଗୁରୁତ୍ୱାରୋପ କରି କରିଥିଲେ ।  ସେ ପରିବେଶ ସୁରକ୍ଷାକୁ ଦୃଷ୍ଟିଦେଇ ସ୍ଥାୟୀ ଆର୍ଥିକ ବିକାଶ, ଶିଳ୍ପ ବିକାଶ, ନିବେଶ, ନବସୃଜନ ଓ ରୋଜଗାର ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ସହ ସଂଯୋଜିତ କରିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ  ସର୍କୁଲାର ଇକୋନୋମି ଗୁରୁତ୍ୱ ଉପରେ  ଆଲୋକପାତ କରି  କହିଥିଲେ ଯେ, ବର୍ଜ୍ୟକୁ କେବଳ ଫିଙ୍ଗିଦେବା କିମ୍ବା ନଷ୍ଟ କରିବାର ଉପାଦାନ ଭାବେ ନ ଦେଖି, ଏହାକୁ ପୁନଃବ୍ୟବହାର, ପୁନଃଚକ୍ରଣ, ସମ୍ପଦ ପୁନରୁଦ୍ଧାର ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ  ମାଧ୍ୟମରେ ଏକ ଆର୍ଥିକ ସମ୍ପଦରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ବିଭିନ୍ନ ବର୍ଜ୍ୟବସ୍ତୁ ସଂପର୍କିତ ବୈଜ୍ଞାନିକ ଓ ସୁଚିନ୍ତିତ ପରିଚାଳନା ଉପରେ ସେ ବୈଠକରେ  ଗୁରୁତ୍ୱାରୋପ କରିଥିଲେ । ପୌର ବର୍ଜ୍ୟ, ଶିଳ୍ପ ବର୍ଜ୍ୟ, ପ୍ଲାଷ୍ଟିକ ବର୍ଜ୍ୟ,                       ଇ-ବର୍ଜ୍ୟ, ନିର୍ମାଣ ଓ ଭଙ୍ଗା ବର୍ଜ୍ୟ, ବିପଜ୍ଜନକ ବର୍ଜ୍ୟ ଆଦିର ପୃଥକୀକରଣ, ସଂଗ୍ରହ, ପ୍ରକ୍ରିୟାକରଣ, ପୁନଃଚକ୍ରଣ ଓ ସମ୍ପଦ ପୁନରୁଦ୍ଧାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ । 

ଏହି ପରିପ୍ରେକ୍ଷୀରେ ସେ ଓ୍ୱେଷ୍ଟ ଟୁ ଓ୍ୱେଲଥ ବା ଓ୍ୱେଷ୍ଟ ଟୁ ଇକୋନୋମିକୁ  ଆଗେଇ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଗୋଟିଏ କ୍ଷେତ୍ରରେ ବର୍ଜ୍ୟ ଭାବେ ପରିତ୍ୟକ୍ତ ହେଉଥିବା ସାମଗ୍ରୀକୁ ଅନ୍ୟ କ୍ଷେତ୍ରରେ କଞ୍ଚାମାଲ କିମ୍ବା ଉପଯୋଗୀ ସମ୍ପଦ ଭାବେ ବ୍ୟବହାର କରିବା ପାଇଁ ନୂତନ ପ୍ରଯୁକ୍ତି, ଉଦ୍ୟୋଗ ଓ ବ୍ୟବସାୟିକ ମଡେଲକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । ଏହା ଦ୍ୱାରା ବର୍ଜ୍ୟ ହ୍ରାସ ସହିତ ନୂତନ ଉଦ୍ୟୋଗ, ରୋଜଗାର ଓ ଆୟର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ଆଲୋକପାତ କରିଥିଲେ । ସମଗ୍ରିକ ଭାବେ, ମୁଖ୍ୟ ଶାସନ ସଚିବ ଏହାକୁ ଏକ ପରିବର୍ତ୍ତନଶୀଳ ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱ ଦେଇଥିଲେ । ପରିବେଶ ସୁରକ୍ଷା, ଇଜ୍ ଅଫ୍ ଡୁଇଂ ବିଜନେସ୍, ଶିଳ୍ପ ବିକାଶ,  ସର୍କୁଲାର ଇକୋନୋମି ଓ ରୋଜଗାର ସୃଷ୍ଟି-ଏସବୁକୁ ସମନ୍ୱିତ କରି ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ ଦିଗରେ ଆଗେଇବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ  କରିଥିଲେ । ଓଡ଼ିଶାରେ ଖଣିଜ ସଂପଦର ଉପଯୋଗ କରି କେବଳ ବିକାଶ କଲେ ହେବ ନାହିଁ, ଆଗାମୀ ଦିନରେ ପର୍ଯ୍ୟଟନ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।  ଓଡ଼ିଶାରେ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ ଆଦି  ସାମଗ୍ରିକ ବିକାଶ କରି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗୁରୁତ୍ୱପୂଣ୍ଣ ଭୁମିକା ରହୁଥିବା ମୁଖ୍ୟ ଶାସନ ସଚିବ ଉଲ୍କେଖ କରିଥିଲେ ।   

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ. ମନୋଜ ଭି. ନାୟାର ଯୋଗଦେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ ।  ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଅନ୍‌ଲାଇନ୍ ନିରୀକ୍ଷଣ, ସ୍ୱୟଂଚାଳିତ ତଥ୍ୟ ସଂଗ୍ରହ, ଶିଳ୍ପଗୁଡ଼ିକର ନିୟମ ପାଳନର ଡିଜିଟାଲ୍ ନିରୀକ୍ଷଣ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ବୋର୍ଡର କେନ୍ଦ୍ରୀୟ ପରୀକ୍ଷାଗାର, ଉପକୂଳ ପରିବେଶ ନିରୀକ୍ଷଣ କେନ୍ଦ୍ର ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର ପରୀକ୍ଷାଗାରକୁ ଆଧୁନିକୀକରଣ କରିବା ସହ ଗବେଷଣା କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି । ଜାତୀୟ ଓ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶେଷଜ୍ଞ ସଂସ୍ଥାଗୁଡ଼ିକ ସହ ଗବେଷଣା ଓ ବୈଷୟିକ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଫ୍ଲାଏ ଆଶ୍, ସ୍ଲାଗ୍, ରେଡ୍ ମଡ୍ ଓ ଫସ୍ଫୋଜିପସମ୍ ଭଳି ଶିଳ୍ପ ଉପ-ଉତ୍ପାଦର ପୁନଃବ୍ୟବହାର ଓ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବର୍ଜ୍ୟ ପରିଚାଳନାକୁ କେବଳ ନିଷ୍କାସନରେ ସୀମିତ ନରଖି ସର୍କୁଲାର ଅର୍ଥନୀତି ଦିଗରେ ଆଗେଇ ନେବା, ଶିଳ୍ପ ଉପ-ଉତ୍ପାଦକୁ ନିର୍ମାଣ, ରାଜପଥ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣରେ ଉପଯୋଗ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରାଯିବାକୁ ଆଲୋଚନା ହୋଇଥିଲା ।  

             ବିଶ୍ୱ ପରିବେଶ ଦିବସ, ବିଶ୍ୱ ଓଜୋନ୍ ଦିବସ, ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ, ପରିବେଶ ସଚେତନତା ସପ୍ତାହ, ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଓ ଜାତୀୟ ପ୍ରଦୂଷଣ ନିରୋଧ ଦିବସ ଆଦି ଅବସରରେ ଜନସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସ୍କୁଲ୍‌, କଲେଜ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ସହ ତୁରନ୍ତ ବାୟୁ ଗୁଣବତ୍ତା ଓ ଜଳ ଗୁଣବତ୍ତା ସମ୍ପର୍କିତ ସୂଚନା ଉପଲବ୍ଧ କରାଇବା ଏବଂ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । 

ଶିଳ୍ପ ଓ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ସମୟବଦ୍ଧ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି  । ବିଭିନ୍ନ ଅନୁମୋଦନ ବ୍ୟବସ୍ଥାକୁ ସିଙ୍ଗିଲ୍ ୱିଣ୍ଡୋ ଅନ୍‌ଲାଇନ୍ ବ୍ୟବସ୍ଥା ସହ ସମନ୍ୱିତ କରିବା, ଅନ୍‌ଲାଇନ୍ ପ୍ରମାଣପତ୍ର ଯାଞ୍ଚ ଓ କାଗଜବିହୀନ କାର୍ଯ୍ୟପ୍ରଣାଳୀ ଭଳି ପଦକ୍ଷେପ ନିଆଯାଇଛି । ବୋର୍ଡର ବୈଷୟିକ ଓ ପ୍ରଶାସନିକ ମାନବ ସମ୍ବଳର ଉପଲବ୍ଧତା, ଖାଲି ପଦ ପୂରଣ, ପଦୋନ୍ନତି ଏବଂ ଆଗାମୀ ଦିନର ଆବଶ୍ୟକତା ଅନୁଯାୟୀ ମାନବ ସମ୍ବଳ ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା                  କରାଯାଇଥିଲା । ବୋର୍ଡର ବିଭିନ୍ନ ଶାଖା, ଆଞ୍ଚଳିକ କାର୍ଯ୍ୟାଳୟ, ପରୀକ୍ଷାଗାର, ଆଇନ ଶାଖା ଓ ସୂଚନା ପ୍ରଯୁକ୍ତି ଶାଖାକୁ ଆହୁରି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ଅବସରରେ ପରିବେଶ ସୁରକ୍ଷା, ଦାୟିତ୍ୱସମ୍ପର୍ଣ୍ଣ ଶିଳ୍ପାୟନ ଓ ସ୍ଥାୟୀ ବିକାଶ ମଧ୍ୟରେ ସୁସମନ୍ୱୟ ସ୍ଥାପନ କରି ଓଡ଼ିଶାକୁ ଏକ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ରାଜ୍ୟ ଭାବେ ଆଗେଇ ନେବା ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଆଲୋଚନା  କରିଥିଲେ ।  


ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬



ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ 'ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍' (ନାଲକୋ) ନିଜର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଲୋକଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରିଛି । ଏହି କ୍ରମରେ, ହାଇଦ୍ରାବାଦସ୍ଥିତ 'ଏଲ୍.ଭି. ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍' ସହ ପୂର୍ବରୁ ହୋଇଥିବା ଚୁକ୍ତିନାମାରେ ଆଉ ଏକ ଗୁରୁତ୍ତ୍ଵପୁର୍ଣ୍ଣ ଅତିରିକ୍ତ ଚୁକ୍ତି ସ୍ୱାକ୍ଷର କରାଯାଇଛି। ଏହି ପଦକ୍ଷେପ ଅନୁଗୋଳସ୍ଥିତ ନାଲକୋ ନଗରରେ 'ସେକେଣ୍ଡାରୀ ପ୍ଲସ୍ ଆଇ କେୟାର ସେଣ୍ଟର' (ଚକ୍ଷୁ ଚିକିତ୍ସା କେନ୍ଦ୍ର) କାର୍ଯ୍ୟକ୍ଷମ ହେବା ଦିଗରେ ସହାୟକ ହେବ।

ଉଲ୍ଲେଖନୀୟ ଯେ, ଏହି ଅଞ୍ଚଳକୁ ବିଶେଷଜ୍ଞ-ସ୍ତରୀୟ ତଥା ସୁଲଭ ଚକ୍ଷୁ ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ନାଲକୋ, ଏଲ୍‌ଭିପିଇଆଇ ସହଯୋଗରେ ଅନୁଗୋଳଠାରେ ଏକ ଆଧୁନିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ପାଇଁ ଭିତ୍ତିଭୂମି ସ୍ଥାପନ କରିଥିଲା । ଭିତ୍ତିଭୂମି ସ୍ଥାପନ ପରେ ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ଘଟିଥିଲା । ଏହି, ପ୍ରକଳ୍ପର ଏକ ବିସ୍ତୃତ ସମୀକ୍ଷା ପରେ ନାଲକୋ ଏବଂ ହାଇଦ୍ରାବାଦସ୍ଥିତ ଏଲ୍‌ଭିପିଇଆଇ ଏକ ଅତିରିକ୍ତ ଚୁକ୍ତିନାମା ସ୍ୱାକ୍ଷର କରିବା ସହ ମୁଖ୍ୟ ପ୍ରତିବନ୍ଧକଗୁଡ଼ିକର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି; ଫଳସ୍ୱରୂପ ଆଗାମୀ କିଛି ମାସ ମଧ୍ୟରେ ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ପଥ ପରିଷ୍କାର ହୋଇପାରିଛି ।

ଆଜି ନାଲକୋ କର୍ପୋରେଟ୍ କାର୍ଯ୍ୟାଳୟରେ ନାଲକୋର ସିଏସ୍‌ଆର୍ ଶାଖା 'ନାଲକୋ ଫାଉଣ୍ଡେସନ୍' ଏବଂ ହାଇଦ୍ରାବାଦସ୍ଥିତ 'ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍' ମଧ୍ୟରେ ଏକ ଅତିରିକ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ନାଲକୋ ସିଏମ୍‌ଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ନାଲକୋର ନିର୍ଦ୍ଦେଶକବୃନ୍ଦ, ଏଲ୍‌ଭିପିଇଆଇର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ଗର୍ଗ ଏବଂ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, 'ସେକେଣ୍ଡାରୀ ପ୍ଲସ୍ ଆଇ କେୟାର ସେଣ୍ଟର' ର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ନାଲକୋ ଫାଉଣ୍ଡେସନ୍ ଏବଂ ଏଲ୍‌ଭିପିଇଆଇ ମିଳିତ ଭାବେ ପ୍ରୟାସ କରିବେ । ଏହି ପ୍ରସ୍ତାବିତ କେନ୍ଦ୍ରର ପରିଚାଳନା ଦାୟିତ୍ୱ ଏଲ୍‌ଭିପିଇଆଇକୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏଲ୍‌ଭିପିଇଆଇ ଚକ୍ଷୁ ଚିକିତ୍ସା ସେବାରେ ଉତ୍କର୍ଷତା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଏବଂ ଭୁବନେଶ୍ୱରରେ ଏକ 'ଟର୍ସିଆରୀ ଆଇ କେୟାର ସେଣ୍ଟର' ମଧ୍ୟ ପରିଚାଳନା କରୁଛି ।

ଅନୁଗୋଳ ତଥା ଆଖପାଖ ଜିଲ୍ଲାର ବାସିନ୍ଦାଙ୍କ ପାଇଁ ଏହି ବହୁ-ପ୍ରତୀକ୍ଷିତ ଚକ୍ଷୁ ଚିକିତ୍ସା କେନ୍ଦ୍ର ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି କେନ୍ଦ୍ର ସୁଲଭ ଓ ରିହାତି ମୂଲ୍ୟରେ ଉନ୍ନତମାନର ଚକ୍ଷୁ ଚିକିତ୍ସା ସେବା ଯୋଗାଇବ, ଯାହା ବିଶେଷ ଭାବରେ ନାଲକୋ ର ପରିପାର୍ଶ୍ଵିକ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକଙ୍କ ପାଇଁ ଲାଭଦାୟକ ହେବ ।

କାର୍ଯ୍ୟକ୍ଷମ ହେବା ପରେ, ଏହି କେନ୍ଦ୍ର ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ ଏବଂ ପଡ଼ୋଶୀ ଜିଲ୍ଲାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ପରିକଳ୍ପନା କରାଯାଇଛି, ଯାହା ଦ୍ଵାରା ବିଶେଷ ଚକ୍ଷୁ ଚିକିତ୍ସା ସେବାର ଉପଲବ୍ଧତାରେ ଉଲ୍ଲେଖନୀୟ ଉନ୍ନତି ଆସିବ ଏବଂ ଅଞ୍ଚଳର ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ ​​କରାଯାଇପାରିବ ।


ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୬




ଶତାୟୁ ହେଲେ ବି ଯୁବକ ପରି କାର୍ଯ୍ୟ କରୁଛି ‘ସମାଜ’: ମୁଖ୍ୟମନ୍ତ୍ରୀ

ଯୁବଗୋଷ୍ଠୀଙ୍କୁ ଯୋଡ଼ିଲା ‘ପ୍ରଜ୍ବଳିତ ଓଡ଼ିଶା: ୟୁଥ୍‌ କନେକ୍ଟ’ କାର୍ଯ୍ୟକ୍ରମ

ଜ୍ୟୋତିର୍ମୟୀଙ୍କ ସ୍ୱରରେ ଝୁମିଲେ, ନିଶାମୁକ୍ତିର ସଂକଳ୍ପ ପାଠ କରାଇଲେ ଅର୍ପିତା


ଦୈନିକ ଖବରକାଗଜ ‘ସମାଜ’ ଶତାୟୁ ହୋଇଛି ସତ, ହେଲେ ଯୁବକ ପରି କାମ କରୁଛି। ଓଡ଼ିଶା ଯେତେବେଳେ ପରାଧୀନ ଥିଲା, ସେତେବେଳେ ଓଡ଼ିଶାକୁ ପ୍ରାକୃତିକ ଦୁର୍ବିପାକ କବଳିତ କରି ରଖୁଥିଲା। ବନ୍ୟା, ବାତ୍ୟା ପ୍ରପୀଡ଼ିତ ଲୋକେ ଭାବୁଥିଲେ, ଆମ ପାଖରେ ଆଉ କିଏ ପହଞ୍ଚୁ କି ନ ପହଞ୍ଚୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଶ୍ଚିତ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ‘ସମାଜ’ର ୧୦୭ତମ ସ୍ବନକ୍ଷତ୍ର ଦିବସ ଅବସରରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଲୋକେ ସରକାରଙ୍କ ଉପରେ ଭରସା କରୁନଥିଲେ, ଗୋପବନ୍ଧୁଙ୍କ ଉପରେ ଭରସା କରୁଥିଲେ। ‘ସମାଜ’ ଖବରକାଗଜ ଲମ୍ବା ସମୟ ଧରି ଗୋପବନ୍ଧୁଙ୍କ ଆଦର୍ଶକୁ ମୁଖ୍ୟ ଆଧାର କରି ଚାଲିଛି।

   ମୁଖ୍ୟମନ୍ତ୍ରୀ କହିଥିଲେ, ଟେଲିଭିଜନ ଯେତେ ୨୪ ଘଣ୍ଟିଆ ଖବର ଦେଲେ ମଧ୍ୟ ଛାପା ଗଣମାଧ୍ୟମ ତା’ର ବିଶ୍ୱସନୀୟତା ବଜାୟ ରଖିଛି। ଖବର ପରିବେଷଣରେ ସମାଜ କେବେ ବି ସାଲିସ କରିନାହିଁ। ଉତ୍କଳମଣିଙ୍କ ପ୍ରେରଣାରେ ‘ସମାଜ’ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସେବା କରି ଚାଲିବ। ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁ ମହତ୍ ଉଦ୍ଦେଶ୍ୟ ରଖି ପଣ୍ଡିତ ଗୋପବନ୍ଧୁ ‘ସମାଜ’ର ପ୍ରତିଷ୍ଠା କରିଥିଲେ, ତାଙ୍କ ଅବର୍ତ୍ତମାନରେ ମଧ୍ୟ ‘ସମାଜ’ ତାହା ପରିପୂରଣ କରି ଚାଲିଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ବତନ୍ତ୍ର ଓଡ଼ିଶା ଗଠନ ଦିଗରେ ‘ସମାଜ’ର ଗୌରବମୟ ଯାତ୍ରା ଉତ୍ତର ପିଢ଼ିକୁ ଅନୁପ୍ରାଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

   ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ଉତ୍କଳମଣିଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ସମାଜ’ ପିଢ଼ି ପରେ ପିଢ଼ି ଧରି ଓଡ଼ିଆ ଜାତିକୁ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ କରି ଆସୁଛି। ନିର୍ଭୀକ ଖବରର ଏହି ଧାରା ଆଗାମୀ ଦିନରେ ମଧ୍ୟ ‘ସମାଜ’ ଜାରି ରଖିବ ବୋଲି ମୋର ବିଶ୍ୱାସ। ସଭାପତିତ୍ୱ ଅଭିଭାଷଣରେ ଲୋକସେବକ ମଣ୍ଡଳ ସଭାପତି ଶ୍ରୀ ରାଜକୁମାର କହିଥିଲେ, ଉତ୍କଳମଣି ଗୋପବନ୍ଧୁ ଲୋକସେବକ ମଣ୍ଡଳକୁ ‘ସମାଜ’ ପରିଚାଳନାର ଦାୟିତ୍ୱ ଦେବା ହୁଏତ ଏହି ଖବରକାଗଜକୁ ଶତାୟୁ କରିଛି। ସ୍ୱାଧୀନତା ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ କଲମକୁ ଜନସେବାର ସାଧନ କରିଥିଲେ। ସେହି ଆଦର୍ଶରେ ଏହା ଆଜି ବି ଚାଲିଛି। ‘ସମାଜ’ ଖବରକାଗଜ କେବଳ କାଗଜ ଉପରେ ଛାପା ଶବ୍ଦ ନୁହେଁ, ଲୋକତନ୍ତ୍ରର ସ୍ୱର ହେଉଛି ‘ସମାଜ’। ଏହି ମହାନ ଲିଗାସିକୁ ଆଗକୁ ଅକ୍ଷୁଣ୍ଣ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ କହିଥିଲେ, ଗୋପବନ୍ଧୁଙ୍କୁ ଉତ୍କଳମଣି ଉପାଧି କୌଣସି ସରକାର ଦେଇ ନ ଥିଲେ, ଓଡ଼ିଶାର ଜନସାଧାରଣ ଦେଇଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ବିଚାରଧାରା, ମୂଲ୍ୟବୋଧକୁ ନେଇ ‘ସମାଜ’ ତା’ର ଦୀର୍ଘଦିନର ଯାତ୍ରା ଅବ୍ୟାହତ ରଖିଛି। ‘ସମାଜ’ ତଥାକଥିତ କର୍ପୋରେଟ କଲ୍‌ଚରରେ ବିଶ୍ୱାସ କରେନି। ସମୟକୁ ଚାହିଁ ‘ସମାଜ’ ମଧ୍ୟ ତା’ର ରଣନୀତି ବଦଳାଉଛି; ମାତ୍ର ପାଠକ ହିଁ ସର୍ବାଗ୍ରେ ବୋଲି ସେ କହିଥିଲେ।

   ଲୋକସେବକ ମଣ୍ଡଳ ସମ୍ପାଦକ ରମାନାଥ ଝା କହିଥିଲେ, ‘ସମାଜ’କୁ ପୁରୁଣା ଲୋକଙ୍କ ଖବରକାଗଜ କୁହାଯାଉଥିଲା। ହେଲେ ଆଜି ଏତେସଂଖ୍ୟାରେ ଯୁବବର୍ଗଙ୍କ ଉପସ୍ଥିତି ଏହି ଭ୍ରମକୁ ଦୂର କରିପାରିଛି। ‘ସମାଜ’ କେବଳ କାଗଜ ଓ କାଳି ନୁହେଁ, ବରଂ ଓଡ଼ିଶାର କୋଟିକୋଟି ଲୋକଙ୍କ ବିଶ୍ୱାସର ପ୍ରତୀକ। ଏହା ଏକ ଦାୟିତ୍ୱବାନ ଗଣମାଧ୍ୟମ। ‘ସମାଜ’ ଉପରେ ଓଡ଼ିଆଙ୍କ ପୂର୍ଣ୍ଣ ଆବେଗିକ ଅଧିକାର ରହିଛି। ଏହି ୧୦୭ ବର୍ଷ ମଧ୍ୟରେ ‘ସମାଜ’ରେ ଅନେକ ପରିବର୍ତ୍ତନ ଆସିଛି। ଆଗକୁ ଆହୁରି ମଧ୍ୟ ପରିବର୍ତ୍ତନ ଆସିବ। ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଏବଂ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ‘ସମାଜ’ କିଭଳି ଲୋକଙ୍କ ସହ ଯୋଡ଼ି ହୋଇ ରହିଛି, ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ବିପନ୍ନ ଓ ଦୁଃଖୀଜନଙ୍କ ପାଇଁ ବିପତ୍ତିକାଳରେ ‘ସମାଜ’ ରିଲିଫ୍ ଏକ ଆଶ୍ବାସନା ବୋଲି ସେ କହିଥିଲେ। ଏହି ଅବସରରେ ‘ସମାଜ’ର ୧୦୭ ବର୍ଷ ପଦାର୍ପଣ ସମ୍ପର୍କିତ ଲୋଗୋ, ବାର୍ଷିକ ପ୍ରସଙ୍ଗଭିତ୍ତିକ ଲୋଗୋ ‘ନିଶାମୁକ୍ତ ଯୁବ ସମାଜ, ସମାଜର ପ୍ରୟାସ’ ସମେତ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଆଗାମୀ ପୂଜା ସଂଖ୍ୟା ସହ ‘ସମାଜ’ର ସ୍ୱତନ୍ତ୍ର ସ୍ବନକ୍ଷତ୍ର ବିଶେଷାଙ୍କ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ‘ସମାଜ’ର ଶ୍ରେଷ୍ଠ ସାମ୍ବାଦିକ, ବିତରକ, ବିଜ୍ଞାପନଦାତା ଓ ୟୁଥ୍ ଆଇକନ୍‌ଙ୍କୁ ପୁରସ୍କୃତ କରାଯାଇଥିଲା।

    ‘ସମାଜ’ର ପରମ୍ପରା ଓ ଆଦର୍ଶକୁ ନେଇ ଶିଳ୍ପୀ ମାନସ ସାହୁ ଓ ତାଙ୍କ ଟିମ୍‌ ଦ୍ବାରା ପ୍ରସ୍ତୁତ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ରଖିଥିଲେ। ‘ସମାଜ’ର ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଯୁବଗୋଷ୍ଠୀଙ୍କୁ ‘ସମାଜ’ ସହ ଯୋଡ଼ିବା ଅଭିପ୍ରାୟରେ ‘ପ୍ରଜ୍ୱଳିତ ଓଡ଼ିଶା: ୟୁଥ୍‌ କନେକ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ ବିଜେତା, ଯୁବ ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ସଙ୍ଗୀତ ପରିବେଷଣ କରି ଯୁବ‌େ‌ଶ୍ରାତାଙ୍କୁ ବାନ୍ଧି ରଖିଥିଲେ। ନିଶାମୁକ୍ତି ଅଭିଯାନର ପ୍ରେରଣାଦାୟୀ ଯୁବ ପ୍ରତିଭା ଅର୍ପିତା ବେହେରା ଯୁବଗୋଷ୍ଠୀଙ୍କୁ ନିଶାମୁକ୍ତିର ସଂକଳ୍ପ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ବହୁ ବିିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ‘ସମାଜ’ର ପାଠକ, ସାମ୍ବାଦିକ, ବିଜ୍ଞାପନଦାତା, ବିତରକ, ଯୁବଗୋଷ୍ଠୀ ଯୋଗ ଦେଇଥିଲେ।

 ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬




ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ଯୋଗ ସଂସ୍ଥାନ, ସିଡିଏ, କଟକ ସହଯୋଗରେ ସ୍ୱଚ୍ଛତା ହିଁ ସେବା  -୨୦୨୬ ଅନ୍ତର୍ଗତ ଏକ ସଫେଇ କାର୍ଯ୍ୟକ୍ରମ କଟକ ସିଡିଏ-୬ସ୍ଥିତ ଜୟପ୍ରକାଶ ନାରାୟଣ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି।   
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ପୂର୍ଣ୍ଣେନ୍ଦୁ କୁମାର ସେନାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏଥିରେ ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ରାଜକିଶୋର ଦାଶ ଏବଂ ପ୍ରଫେସର ଶୈଳଜା ନନ୍ଦୀନି ଜେନା ଉପସ୍ଥିତ ଥିଲେ। 
କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ,  ଉପ-ଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ ଏବଂ କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ବିବେକାନନ୍ଦ ଷଡଙ୍ଗୀଙ୍କ ସମେତ ମୁଖ୍ୟ ପ୍ରବନ୍ଧକ, ଶାଖା ମୁଖ୍ୟ ଏବଂ ସ୍ଥାନୀୟ ଶାଖା, କ୍ଷେତ୍ରୀୟ କାର୍ଯ୍ୟାଳୟ, ଏମ୍‌ଏଲ୍‌ପି ଓ ଆରଏଲ୍‌ପିର କର୍ମଚାରୀମାନେ ଯୋଗଦେଇଥିଲେ। ସେହିପରି, ଭାରତୀୟ ଯୋଗ ସଂସ୍ଥାନର କେଦାରନାଥ ଜାଲି, ବାବାଜୀ ଚରଣ ବେହେରା ଏବଂ ଯୋଗ ଅଂଶଗ୍ରହଣକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ସ୍ୱଚ୍ଛତା ଏବଂ ନାଗରିକ ଦାୟିତ୍ୱବୋଧତାର ସନ୍ଦେଶ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏକ ଉତ୍କୃଷ୍ଟ ମାଧ୍ୟମ।

 ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬


 


ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକା ଅନୁଯାୟୀ ବ୍ୟାଙ୍କ ଅଫ୍‍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ “ସ୍ୱଚ୍ଛତାରେ ସହଭାଗିତା, ସ୍ୱଚ୍ଛ ଭାରତ ଏବଂ ବିକଶିତ ଭାରତ ବିଷୟ ସମ୍ପର୍କୀତ “ସ୍ୱଚ୍ଛତା ହିଁ  ସେବା” (ଏସ୍‌ଏଚ୍‌ଏସ୍ ) -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଅଂଶସ୍ୱରୂପ ପରିବେଶ ସୁରକ୍ଷା ଓ ସ୍ଥାୟିତ୍ୱକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ “ଏକ୍ ପେଡ୍ ମା କେ ନାମ୍‌” ପଦକ୍ଷେପ ଅଧିନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ, ଭୁବନେଶ୍ୱରର ମହାପ୍ରବନ୍ଧକ ମୁତା ବିରା ଭେଙ୍କଟ ବାଙ୍ଗାରାଜୁ ଏବଂ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସ୍ୱଚ୍ଛତା ଏବଂ ନାଗରିକ ଦାୟିତ୍ୱବୋଧତାର ସନ୍ଦେଶ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏକ ଉତ୍କୃଷ୍ଟ ମାଧ୍ୟମ।

  ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬





‘ସ୍ୱଚ୍ଛତା ହିଁ ସେବା’ ଓ ‘ଏକ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ; ସଫେଇ କର୍ମଚାରୀଙ୍କୁ ସାନିଟାଇଜେସନ୍ କିଟ୍ ବଣ୍ଟନ

ବ୍ରହ୍ମପୁର  : ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱର ବାର୍ତ୍ତା ନେଇ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ, ବ୍ରହ୍ମପୁର ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଏବଂ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅନ୍ତର୍ଗତ ଏକ ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ରକ ଗାର୍ଡେନଠାରେ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ବ୍ୟାଙ୍କର କ୍ଷେତ୍ରୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇ ‘ଏକ ପେଡ୍ ମା କେ ନାମ’ଅଭିଯାନର ବାର୍ତ୍ତାକୁ ଆଗେଇ ନିଆଯାଇଥିଲା।
ଏହି ଅବସରରେ ଅଞ୍ଚଳର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ନିରନ୍ତର ଭାବେ ନିୟୋଜିତ ସଫେଇ କର୍ମଚାରୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ସାନିଟାଇଜେସନ୍ କିଟ୍ ପ୍ରଦାନ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଯତ୍ନ ନେବା ସହ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ସେବାକୁ ସମ୍ମାନ ଜଣାଇବା ଥିଲା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ବ୍ୟାଙ୍କର ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ, ବରଂ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ସହ ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ପ୍ରତି ସମସ୍ତଙ୍କୁ ସଚେତନ ହେବାର ବାର୍ତ୍ତା ଦିଆଯାଇଥିଲା।

ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬




କଟକ: ପୋଲିସ ମୋଟର ଟ୍ରାନ୍ସପୋର୍ଟର ପୂର୍ବତନ କର୍ମଚାରୀ ସ୍ୱର୍ଗତ ଚିନ୍ମୟ ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଲେଙ୍କାଙ୍କୁ ଏସ୍‌ବିଆଇର PSP ଆକାଉଣ୍ଟ ସୁବିଧା ଅନ୍ତର୍ଗତ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସ୍ୱାମୀଙ୍କ ଅକାଳ ଦେହାନ୍ତ ପରେ ଶୋକସନ୍ତପ୍ତ ପରିବାରକୁ ସହାୟତା ସ୍ୱରୂପ ଏହି ରାଶି ପ୍ରଦାନ କରାଯାଇଛି।

କଟକ ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀ ଏବଂ ଏସ୍‌ବିଆଇ କଟକ ରିଜିଅନର ରିଜିଓନାଲ ମ୍ୟାନେଜର  ଚୌଧୁରୀ ଅଶ୍ମିନ ଅନୁପମ ପ୍ରହରାଜ ଶ୍ରୀମତୀ ଲେଙ୍କାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଥିଲେ।

ଏହି ଅବସରରେ କଟକ ମୋଟର ଟ୍ରାନ୍ସପୋର୍ଟର ପୋଲିସ ଏସ୍‌ପି   ବାନାମ୍ବର ସେଠୀ, କଟକ ସହରାଞ୍ଚଳ ପୋଲିସ ସଂଘର ସମ୍ପାଦକ  ପ୍ରମୋଦ କୁମାର ଜଗଦେବ, ସଭାପତି  ବିଜନ କୁମାର ସାହୁ,  ଏବଂ ଏସ୍‌ବିଆଇ ତୁଳସୀପୁର ଶାଖାର ଶାଖା ପରିଚାଳକ  ଦୀପ୍ତି ସଙ୍ଗୀତା ଦାଶ ଉପସ୍ଥିତ ଥିଲେ।


Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget